गुरुवार, 28 सितंबर 2023

ଅବଧୂତଙ୍କର ୨୪ ଗୁରୁ ଙ୍କ ଠାରୁ ଶିକ୍ଷା

 💥🌺💥 * ଅବଧୂତଙ୍କର ୨୪ ଗୁରୁ ଙ୍କ ଠାରୁ ଶିକ୍ଷା * 💥🌺💥


ଓଁ

ଗୁରୁଦେବାୟ ବିଦ୍ମହେ, ପରଂବ୍ରହ୍ମାୟ ଧିମାହୀ,ତନ୍ନୋ ଗୁରୁ ପ୍ରଚୋଦୟାତ 🙏


ଓଁ 

ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନଂ

ଦେବକୀ ପରମାନନ୍ଦଂ କୃଷ୍ଣମ୍ ବନ୍ଦେ ଜଗତଗୁରୁମ୍ 🙏


ଓଁ

ମନ୍ନାଥଃ ଶ୍ରୀ ଜଗନ୍ନାଥ ମଦ୍ ଗୁରୁ ଶ୍ରୀ ଜଗତଗୁରୁ। 

ମଦାତ୍ମା ସର୍ବଭୁତାତ୍ମା ତଶ୍ମୈଶ୍ରୀ ଗୁରବେ ନମଃ।। 🙏

 

ମନୁଷ୍ୟ ଜୀବନରେ ତିନି ଜଣକ ଭୂମିକା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ଜଣେ ହେଲେ ଜନ୍ମଦାତ୍ରୀ ମା’ । ଦ୍ଵିତୀୟ ଜଣକ ପାଳନହାରୀ ପିତା । ଆଉ ତୃତୀୟ ଜଣକ ହେଲେ #ଗୁରୁ ।

         ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକ ଦିଗକୁ ପଥ ପ୍ରଦର୍ଶନ କରନ୍ତି । 🙏


 ଶ୍ରୀମଦ ଭାଗବତମ୍ ରେ ଏକାଦଶ ସ୍କନ୍ଧରେ ଅବଧୂତ ବା ଦତ୍ତାତ୍ରେୟ ମୁନୀଙ୍କର ୨୪ ଜଣ ଗୁରୁ ଥିବାର ଉଲ୍ଲେଖ ରହିଛି । 


ମହାମୁନି ଦତ୍ତାତ୍ରେୟ ଙ୍କର ବାର୍ତ୍ତା ନୁସାରେ ସୃଷ୍ଟି ରେ ସଭିଙ୍କ ଠାରୁ ଆମେ କିଛି ନା କିଛି ଶିକ୍ଷା ଲାଭ କରିପାରିବା । ଶ୍ରୀମଦ୍ ଭାଗବତମ୍ ଅନୁସାରେ ୨୪ ଜଣ ଗୁରୁଙ୍କ ଠାରୁ ମହାମୁନି ଅବଧୂତ କିଛି ନା କିଛି ଜ୍ଞାନ ଆହରଣ କରିଥିଲେ । ତେବେ ଆସନ୍ତୁ ଆଜିର ଏହି ପବିତ୍ର ଦିବସ ରେ ଏହି ୨୪ ଜଣ ଗୁରୁଙ୍କ ବିଷୟରେ ପୁନଃ ମନେ 

ପକେଇବା 🙏


୧-#ପୃଥିବୀ –ପୃଥିବୀ ନାନାବିଧ ଅତ୍ୟାଚାରର ସମ୍ମୁଖୀନ ହେଇଥାଏ। ହେଲେ ସେ ସବୁ କିଛି ସହି ନିଏ । ଏଣୁ ପୃଥିବୀ ଆମକୁ ଧୈର୍ଯ୍ୟ, ତ୍ୟାଗ, କ୍ଷମା ଓ ପରୋପକାରର ଶିକ୍ଷା ଦିଏ । 


୨-#ବାୟୁ- ବାୟୁର ନିଜସ୍ଵ ଗନ୍ଧ କିଛି ନ ଥାଏ । ସୁଗନ୍ଧ ସହ ମିଶିଲେ ସେ ସୁଗନ୍ଧିତ ହୁଏ ଆଉ ଦୁର୍ଗନ୍ଧ ସହ ମିଶିଲେ ଦୁର୍ଗନ୍ଧିତ ହୁଏ । ପୁଣି ତାଙ୍କ ଠାରୁ ଅଲଗା ହେଲେ ନିଜର ଗୁଣ ପ୍ରକଟ କରେ । ଏଣୁ ବାୟୁ ଆମକୁ ଅନାସକ୍ତ ହେବା ପାଇଁ ଶିକ୍ଷା ଦିଏ । 


୩-#ଜଳ -ଜଳ ଅନ୍ୟର ତୃଷା ମେଣ୍ଟାଇ ଥାଏ । ହେଲେ ସେ ତାର ଏଇ ଗୁଣ ପାଇଁ କେବେ ଗର୍ବ କରେନା ବରଂ ନମ୍ର ହେଇ ତଳକୁ ବହିଯାଏ । ତେଣୁ ଜଳ ଆମକୁ ନିରହଂକାର ଓ ନମ୍ର ଭାବ ଶିଖାଏ । 


୪-#ଅଗ୍ନି-ଅଗ୍ନିର କୌଣସି ଆକାର ନଥାଏ । ସେ ସବୁବେଳେ ଦହନ କରୁଥିବା ବସ୍ତୁର ଆକାର ଧାରଣ କରିଥାଏ । ସେ ସବୁ ଭକ୍ଷଣ କରୁଥିଲେ ସୁଦ୍ଧା ନିଜେ ଶୁଦ୍ଧ ରହିଥାଏ । ଅଗ୍ନି ସବୁ ବସ୍ତୁକୁ ଅଙ୍ଗାରରେ ପରିଣତ କରେ । ତେଣୁ ଏଥିରୁ ଏଇ ଶିକ୍ଷା ମିଳୁଛି କି ମଣିଷ ଯାହା ବି କରୁ ନିଜକୁ ସବୁବେଳେ ଶୁଦ୍ଧପୂତ ରଖିବା ଦରକାର । ସଂସାରର ମାୟାରେ ନ ପଡି ତା’ର ମୂଳ ସ୍ୱରୂପକୁ ଜାଣିବା ଦରକାର । 


୫-#ଆକାଶ-ଆକାଶ ଯେପରି ସର୍ବବ୍ୟାପି ସେଇପରି ମଣିଷ ନିଜକୁ ପରିବ୍ୟାପ୍ତ କରିବା ଆବଶ୍ୟକ । କେଉଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାନ୍ଧି ନ ହୋଇ ସାରା ଜଗତର କଲ୍ୟାଣ କରିବା ଆବଶ୍ୟକ । ଏଇ କଥା ଆକାଶ ଆମକୁ ଶିଖାଏ । 


୬-#ଚନ୍ଦ୍ରମା - ଚନ୍ଦ୍ରମା ବଢିବା ବା କମିବା ପରି ପ୍ରତୀତ ହେଲେ ମଧ୍ୟ ତାହା ପ୍ରକୃତରେ ଅକ୍ଷୟ ରହିଥାଏ। ସେହିପରି ଶରୀର କ୍ଷୀଣ ହେଲେ ବି ଅନୁଭବ ଅକ୍ଷୟ ରହିଥାଏ । ଚନ୍ଦ୍ରମାର ନିଜସ୍ୱ ଆଲୋକ ନ ଥାଏ, ଠିକ୍ ସେମିତି ମଣିଷର ମନ ଓ ଶରୀରର ନିଜସ୍ୱ ଶକ୍ତି ନ ଥାଏ, ଏମାନେ ଆତ୍ମାର ଶକ୍ତିରେ ବଳିୟାନ । ତେଣୁ ଚନ୍ଦ୍ରମା ଠାରୁ ଅକ୍ଷୟ ଆତ୍ମଜ୍ଞାନର ଶିକ୍ଷା ମିଳିଥାଏ । 


୭-#ସୂର୍ଯ୍ୟ – ସୂର୍ଯ୍ୟ ଉଦୟ ହେଲେ ଅନ୍ଧାର ଦୂର ହୁଏ ।  ସେଇପରି  ମଣିଷ ମନରେ  ଜ୍ଞାନର ଆଲୋକ ଜାଗ୍ରତ ହେଲେ ଅଜ୍ଞାନ ଅନ୍ଧାର ଦୂରୀଭୂତ ହୁଏ । ଏଇ କଥା ହିଁ ସୂର୍ଯ୍ୟଙ୍କ ଠାରୁ ଶିକ୍ଷା ମିଳେ । 


୮-#କପୋତ-ଜାଲରେ ପଡ଼ିଥିବା ନିଜ ଶାବକକୁ ରକ୍ଷା କରିବାପାଇଁ କପୋତୀ ସହିତ କପୋତ ନିଜେ ଜାଲରେ ପଡ଼ିଥିଲା । ଆସକ୍ତି ହିଁ  ବନ୍ଧନର କାରଣ ବୋଲି ତା’ଠାରୁ ଶିକ୍ଷା ମିଳେ ।    


୯-#ଅଜଗର-ଅଳସୁଆ ଅଜଗର ଗୋଟିଏ ଜାଗାରେ ପଡ଼ିଥାଏ, ଯାହା ପାଖକୁ ଆସେ ତାକୁ ହିଁ ସେ ଖାଏ । ଖାଦ୍ୟପ୍ରତି ଲୋଭ ନ ରଖି ଯାହା ମିଳିବ ସେଥିରେ ଉଦର ପୂରଣ କରି ସର୍ବଦା ନିଜର ମୂଳସ୍ୱରୂପର ଧ୍ୟାନରେ ମଗ୍ନ ରହିବାର ଶିକ୍ଷା ଅଜଗର ଠାରୁ ମିଳେ ।


୧୦-#ସିନ୍ଧୁ -ସବୁ ନଦୀର ପାଣି ମିଶିଲେ ମଧ୍ୟ ସମୁଦ୍ର ନିଜର ସମତା ରକ୍ଷା କରିଥାଏ । ନା ଅଧିକ ଉଛୁଳେ ନା ଟିକିଏ ମାତ୍ର ଶୁଖେ। ସାଂସାରିକ ବିଷୟ ବାସନା ଥିଲେ ମଧ୍ୟ ନିଜର ମର୍ଯ୍ୟାଦା ଲଙ୍ଘନ ନ କରିବାର ଗୁଣ, ସମତା ତଥା ଓ ନିଶ୍ଚଳ ମନ ସମୁଦ୍ରଠାରୁ ଶିକ୍ଷା ମିଳେ ।


୧୧-#ପତଙ୍ଗ -ପତଙ୍ଗଠାରୁ ଦୁଇଟି ଜିନିଷ ଶିଖିବାକୁ ମିଳେ । ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସକଳରୁ ନିଜକୁ ନିବୃତ୍ତ ନ କରି ପାରିଲେ ଅଗ୍ନୀରେ ପତଙ୍ଗ ସମ ନିଜର ବିନାଶ ହୋଇଥାଏ। ଜ୍ଞାନୀମାନେ ଜ୍ଞାନର ସନ୍ଧାନ ପାଇ ସେଥିରେ ଏମିତି ମଜ୍ଜି ଯାଆନ୍ତି ଯେ ନିଜର ବ୍ୟକ୍ତିଗତ ସୀମିତ ସତ୍ତାକୁ ଭସ୍ମ କରି ନିର୍ଗୁଣ ନିରାକାର ସତ୍ତାକୁ ଲାଭ କରନ୍ତି, ଏହା ମଧ୍ୟ ପତଙ୍ଗଠାରୁ ଶିକ୍ଷା ମିଳେ।


୧୨-#ମଧୁପ -ଫୁଲକୁ ଫୁଲ ଉଡ଼ି ମଧୁ ସଂଗ୍ରହ କରୁଥିବା ମଧୁପ ବା ମହୁମାଛି ପରି ବିଭିନ୍ନ ଶାସ୍ତ୍ର ଅଧ୍ୟୟନ କରି ତା’ର ସାରକୁ ଗ୍ରହଣ କରିବା ଉଚିତ୍ ।


୧୩-#ଗଜ -ନକଲି ମାଈହାତୀକୁ ଦେଖି ନିଜର ଜାନ୍ତବ କ୍ଷୁଧାର ପରିତୃପ୍ତି ପାଇଁ ହାତୀ ମାଡ଼ିଆସେ ଓ ଶିକାରୀ ଦ୍ୱାରା ଖୋଳା ଯାଇଥିବା ଗାତରେ ପଡ଼ିଥାଏ । କାମନା ବାସନାର ନିୟନ୍ତ୍ରଣ କରିବା ଗଜ ବା ହାତୀଠାରୁ ଶିକ୍ଷାମିଳେ ।


୧୪-#ପିମ୍ପୁଡି ଓ #ଭଁଅର -ଅକ୍ଳାନ୍ତ ପରିଶ୍ରମ କରି ଅତି କଷ୍ଟରେ ସଂଗ୍ରହ କରି ସଞ୍ଚୟ କରିଥିବା ଖାଦ୍ୟକଣିକାର ଗନ୍ଧରେ ଆକର୍ଷିତ ହୋଇ ଅନ୍ୟପ୍ରାଣୀମାନେ ଏହାକୁ ତା’ଠାରୁ ଅପହରଣ କରିଥାନ୍ତି, ଏଥିରୁ ଏହି ଶିକ୍ଷା ମିଳେ ଯେ, ସଂଗ୍ରହ କରିବାର ପ୍ରବୃତ୍ତି ଚୋରି, ଡକେଇତି ବା ହତ୍ୟାରେ ପରିସମାପ୍ତ ହୁଏ । ତେବେ ପିମ୍ପୁଡ଼ିଠାରୁ ଏକ ଭଲଗୁଣ ଶିଖିବାକୁ ମିଳେ, ଆତ୍ମସାକ୍ଷାତକାର ଅନ୍ୱେଷୀ, ମୁମୁକ୍ଷୁ ନିରଳସ ଭାବେ ନିଜ ମାର୍ଗରେ ଅଗ୍ରଗତି କରିବା ଦରକାର ।

ଭଅଁର ଫୁଲର ଗନ୍ଧରେ ଆକୃଷ୍ଟ ହୋଇ ସେଥିରେ ଏମିତି ଆସକ୍ତ ହୋଇଯାଏ ଯେ, ସନ୍ଧ୍ୟାରେ ଫୁଲ ପାଖୁଡ଼ା ବନ୍ଦ ହେବା ଆଗରୁ ତାକୁ ଛାଡ଼ି ପଳାଇ ନ ଆସି ଏହା ବନ୍ଦ ହେବାପରେ ମଧ୍ୟ ସେଥିରେ ବନ୍ଦୀ ହୋଇ ରହିଯାଏ । ଫଳତଃ ନିଜର ପ୍ରାଣ ହରାଏ । ଆସକ୍ତି ସବୁବେଳେ ବିନାଶକାରୀ ବୋଲି ତା’ଠାରୁ ଶିକ୍ଷା ମିଳେ। 


୧୫-#ହରିଣ -ସଙ୍ଗୀତର ମୂର୍ଚ୍ଛନାରେ ମୋହିତ ହରିଣ ଶିକାରୀର ବାଣରେ ମୃତ୍ୟୁବରଣ କରେ । ଏଥିରୁ ଶିକ୍ଷାମିଳେ ଯେ ସଂସାରର ନିକୃଷ୍ଟ ଆନନ୍ଦ ପ୍ରତି ଆକୃଷ୍ଟ ହେଲେ ନିଜର ବିନାଶ ଘଟିଥାଏ ।


୧୬-#ମୀନ -ଖାଦ୍ୟଲାଳସାରେ ବନିସୀରେ ପଡ଼ି ପ୍ରାଣ ହାରେ। ସୁସ୍ୱାଦୁ ବ୍ୟଞ୍ଜନ ପ୍ରତି ଆସକ୍ତି ନିଜର ଲକ୍ଷ୍ୟପ୍ରାପ୍ତିରେ ଅନ୍ତରାୟ ହୋଇଥାଏ । ତେବେ ମାଛଠାରୁ ଆଉ ଏକ ଗୁଣ ଶିଖିବାକୁ ମିଳେ। ଏହା କେତେବେଳେ ବି ନିଜ ଘର ଅର୍ଥାତ୍ ପାଣିକୁ ପରିତ୍ୟାଗ କରେନା । ସେହିପରି ମାନବ କେବେ ବି ନିଜର ମୂଳସ୍ୱରୂପରୁ ବିଚ୍ୟୁତ ହେବା ଅନୁଚିତ ।


୧୭-#ପିଙ୍ଗଳା_ବେଶ୍ୟା - କାମପିପାସାରେ ମତ୍ତହୋଇ ତଥା ଧନ ଲୋଭରେ ଅନ୍ଧ ହୋଇ ପିଙ୍ଗଳା ନାମକ ବେଶ୍ୟା ଏକ ନିର୍ଦ୍ଦିଷ୍ଟ ପୁରୁଷକୁ ଚାହିଁ ସାରା ରାତି କାଟିଦେଲା ପରେ ଅନୁଭବ କଲା, ମିଥ୍ୟା ମାୟାରେ ମୋହିତ ହୋଇ ସେ ମସ୍ତବଡ଼ ଭୁଲ୍ କରିଛି। ସଂସାରର ଅଳିକ ସୁଖ ଓ ସାଂସାରିକ ଧନର ନଶ୍ୱରତାକୁ ଦେଖି ସେ ଅସଲି ଧନ ଓ ଅସଲି ଆନନ୍ଦର ତଲାସରେ ବୈରାଗ୍ୟର ପଥକୁ ବାଛି ନେଲା । ଅତଃ ପିଙ୍ଗଳା ବେଶ୍ୟା ବୈରାଗ୍ୟ ଶିକ୍ଷାଦିଏ ।


୧୮-#କୁରୁର(ମାଟିଆ ଚିଲ) - ନିଜ ଥଣ୍ଟରେ ମାଂସଟୁକୁଡ଼କୁ ଧରି ରଖିଥିବା କୁରୁର ପକ୍ଷୀ ଅନ୍ୟ ପକ୍ଷୀମାନଙ୍କର ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ମାଂସଟୁକୁଡାଟିକୁ ଛାଡ଼ିଦେଲା ପରେ  ଅନ୍ୟମାନଙ୍କର ଆକ୍ରମଣରୁ ରକ୍ଷା ପାଇଗଲା । ଏଥିରୁ ଶିକ୍ଷାମିଳେ, ଦୈହିକ ସୁଖଭୋଗର ବାସନା ସଂସାରରେ ଯାବତୀୟ ଯନ୍ତ୍ରଣା ଓ ଜଞ୍ଜାଳକୁ ଜନ୍ମ ଦେଇଥାଏ। ଏହାର ପରିତ୍ୟାଗରେ ହିଁ ଅସଲି ଆନନ୍ଦ ନିହିତ ରହିଛି ।


୧୯-#ଅର୍ଭକ (ଶିଶୁ)- ଅନ୍ୟ ପ୍ରତି ବୈର ଭାବନା ରହିତ, ନିଜ ପରର ଭେଦଭାବରୁ ମୁକ୍ତ, ସବୁବେଳେ ଖିଲି ଖିଲି ହାସିତ, ନିଜର ସ୍ୱଭାବରେ ସ୍ଥିତ, ଆନନ୍ଦରେ ଉଛୁଳି ଉଠୁଥିବା ଶିଶୁଠାରୁ ଆତ୍ମସାକ୍ଷାତକାରୀର ଅବସ୍ଥା ଦେଖିବାକୁ ମିଳେ। ଆନନ୍ଦ ସ୍ୱତଃସ୍ଫୁର୍ତ୍ତ ହୋଇଥାଏ, ଏହା କୌଣସି ବାହ୍ୟକାରଣ କିମ୍ବା ବସ୍ତୁ ଉପରେ ନିର୍ଭରଶୀଳ ହୋଇ ନ ଥାଏ।


୨୦-#ବ୍ରାହ୍ମଣ_କୁମାରୀ -ନିଜ ପୁତ୍ର ପାଇଁ କୁମାରୀ କନ୍ୟାର ହାତ ମାଗିବାକୁ ଆସିଥିବା ଅତିଥିମାନଙ୍କ ପାଇଁ କିଛି ବ୍ୟଞ୍ଜନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ମା’ ଅନୁପସ୍ଥିତ ଥିବା ସମୟରେ ବ୍ରାହ୍ମଣ କୁମାରୀ ନିଜେ ଚାଉଳ କୁଟିବାକୁ ଆରମ୍ଭ କରିବାରୁ ତା’ ହାତର ଚୁଡ଼ିଗୁଡିକ ପରସ୍ପର ସହିତ ବାଜି ଶବ୍ଦ ସୃଷ୍ଟି କଲେ। ଏହା ଶୁଣି କାଳେ ଅତିଥିମାନେ ବ୍ୟସ୍ତ ହେବେ ସେଥିପାଇଁ ପରମ୍ପରା ରକ୍ଷାକରି ସେ ହାତରେ ପଟେ ପଟେ ଚୁଡ଼ି ରଖି ବାକି ଚୁଡ଼ିକୁ ବାହାର କରିଦେଲା । ଏହାଦ୍ୱାରା ସେ ନିଜ କାମକୁ ନିରବରେ କରିପାରିଲା । ଏଥିରୁ ଶିକ୍ଷାମିଳେ ପ୍ରକୃତ ମୁମୁକ୍ଷୁ(ମୁକ୍ତି ଚାହୁଁଥିବା ବ୍ୟକ୍ତି) ବାକ୍-ବିତଣ୍ଡାରେ ନ ପଡ଼ି ନିକାଞ୍ଚନରେ ନିଜର ସାଧନା କରିବା ଦରକାର । କାରଣ ଅନେକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି।


୨୧-#ସର୍ପ -ନିଜେ ଗାତ ନ ଖୋଳି ଅନ୍ୟ ପଶୁ, ପକ୍ଷୀ, କୀଟମାନେ କରିଥିବା ଗାତରେ ରହିବା ପରି ବୈରାଗୀ ସନ୍ନ୍ୟାସୀମାନେ ସଂସାରୀ ଲୋକମାନେ ତିଆରି କରିଥିବା ଘରେ, ଅଥବା ପରିତ୍ୟକ୍ତ ଘରେ ବା ଗଛମୂଳେ ରହିଥାନ୍ତି। ସାପ ନିଜ କାତି ଛାଡ଼ିଲା ପରି ବୈରାଗୀମାନେ ମୃତ୍ୟୁ ସମୟରେ ସମ୍ପୂର୍ଣ୍ଣ ସଜାଗ ହୋଇ, ନିଜର ମୂଳ ସ୍ୱରୂପରେ ମନୋନିବେଶ ପୂର୍ବକ ପୁରୁଣା ଦେହକୁ ତ୍ୟାଗ କରି ନୂଆଦେହ ଧାରଣ କରନ୍ତି ।


୨୨-#ଶରକୃତ (ଶର ତିଆରି କରୁଥିବା ବ୍ୟକ୍ତି) -ଆଧ୍ୟାତ୍ମିକ ଅଗ୍ରଗତିର ରହସ୍ୟ ହେଉଛି ଏକାଗ୍ରତା । ତୀର ତିଆରି କରୁଥିବା ଏକାଗ୍ର ବଢ଼େଇଟିଏ ଜାଣିପାରେନା ତା’ ପାଖ ଦେଇ ରାଜକୀୟ ପଟୁଆର ଚାଲିଗଲା ବୋଲି । ତା’ ଠାରୁ ତୀକ୍ଷ୍ଣ ଏକାଗ୍ରତା ଶିକ୍ଷା ମିଳେ ।


୨୩-#ଉର୍ଣ୍ଣନାଭି-ଉର୍ଣ୍ଣନାଭି, ମାଙ୍କଡସା ବା ବୁଢ଼ିଆଣୀ ନିଜେ ଜାଲ ତିଆରି କରେ ଓ ପରେ ନିଜ ଜାଲରେ ନିଜେ ବନ୍ଦୀ ହୋଇ ସାରା ଜୀବନ ରହିଥାଏ ବୋଲି ସେ ଜାଣି ନ ଥାଏ । ସେମିତି ମଣିଷ ନିଜ ବିଚାରର ମାୟାଜାଲରେ ବନ୍ଦୀ ହୋଇ ନିଜର ମୂଳସ୍ୱରୂପକୁ ପାସୋରି ପକାଏ ।  ଉର୍ଣ୍ଣନାଭି ଆଉ ଏକ ଶିକ୍ଷା ମଧ୍ୟ ଦେଇଥାଏ । ପରମାତ୍ମା ନିଜକୁ ବିଭିନ୍ନ ଶରୀର ମାଧ୍ୟମରେ ପ୍ରକଟ କରିଥାନ୍ତି, ବିଭିନ୍ନ ଇନ୍ଦ୍ରିୟ ମାଧ୍ୟମରେ ସଂସାରର ରସ ଆସ୍ୱାଦନ କରିଥାନ୍ତି, ପରିଶେଷରେ ନିଜ ଗଢ଼ା ସଂସାରକୁ ନିଜ ଭିତରକୁ ଗୋଟେଇ ନିଅନ୍ତି ।


୨୪-#ସୁପେଶକୃତ -ସୁପେଶକୃତ୍ ବା କୁମ୍ଭାରିଆ କୌଣସି କୀଟକୁ ଧରିଆଣେ ଓ ମାଟିର ନିବୁଜ ଘର ତୋଳି ତାକୁ ସେଥିରେ ବନ୍ଦୀ କରିଦିଏ । ସେହି କୀଟଟି ମରିବା ପୂର୍ବରୁ କୁମ୍ଭାରିଆକୁ ଦେଖିଥାଏ, ତାଆରି ଗୁଣୁଗୁଣୁ ଶବ୍ଦଛଡ଼ା ସେ ଆଉ କିଛି ଶୁଣି ପାରେନା, ଭୟରେ କାତର ହୋଇ ସେ ତା’ରି ରୂପର ଚିନ୍ତା କରିଥାଏ । କିଛି ଦିନ ପରେ ସେ ନିଜେ କୁମ୍ଭାରିଆ ହୋଇ ସେଇଠି ଜନ୍ମ ହୁଏ। ଏଥିରୁ ଶିକ୍ଷା ମିଳେ ମରିଲାବେଳେ ମଣିଷ ଯେମିତି ଚିନ୍ତା କରିଥାଏ, ତାର ମୃତ୍ୟୁ ଉପରାନ୍ତ ଜୀବନର ତଦନୁରୂପ ନିର୍ଦ୍ଧାରିତ ହୋଇଥାଏ । ଏଥିରୁ ଅନ୍ୟ ଏକ ଶିକ୍ଷା ମିଳେ ଯେ ଯଦି ସାଧାରଣ ମଣିଷ ନିରବିଚ୍ଛିନ୍ନ ଭାବରେ ନିଜ ଗୁରୁ ସ୍ୱରୂପର ଧ୍ୟାନ କରେ, ତେବେ ଅବିଳମ୍ବେ ସେ ଗୁରୁଙ୍କ ସ୍ୱରୂପରେ ଅବସ୍ଥାନ କରେ, ଗୁରୁତୁଲ୍ୟ ହୋଇଯାଏ ।


ଏଇଥିଲା ଅବଧୂତଙ୍କ ୨୪ ଗୁରୁଙ୍କ ପ୍ରସଙ୍ଗ । 


 

कोई टिप्पणी नहीं:

एक टिप्पणी भेजें

एक खतरनाक साजिश की सच्चाई

  🔸“संयुक्त परिवार को तोड़कर उपभोक्ता बनाया गया भारत: एक खतरनाक साजिश की सच्चाई* ⚡“जब परिवार टूटते हैं, तभी बाजार फलते हैं” — ये सिर्फ विच...